Unknown

 

 

 

 

 

 

 

 

 

 

ଦୀନବନ୍ଧୁ ଚଉତିଶା

କୃଷ୍ଣ କର

 

କରନ୍ତି ଭାଳେଣି ସର୍ବଗୋପାଙ୍ଗନା ମିଳି

କଂସ ଦୂତ ସଙ୍ଗତେ ବିଜୟେ ବନମାଳୀ

ଦୀନବନ୍ଧୁ ହେ !

କି ବୁଦ୍ଧି କରିବୁଁ

କଲେଣ ମଥୁରାବିଜେ ପ୍ରାଣ ବିସର୍ଜ୍ଜିବୁ ।।୧।।

 

ଖାଇବାର ବିଷପ୍ରାୟେ ନ ରୁଚେ ସଦନ

ଖେଳାଇ ହସାଇ ଆମ୍ଭେ ବଞ୍ଚିଥିଲୁଁ ଦିନ

ଦୀନବନ୍ଧୁ ହେ !

କ୍ଷଣେ ନ ବର୍ତ୍ତିବୁ

ଖଳଉପୁଜିଲା କଥା ଲଜ୍ଜା ରୁହାଇବୁ ।।୨।।

 

ଗୁପତହୋଇ ଅଇଲ ଗୋପ ଭୁବନକୁ

ଗରଳ ଅମିୟ ବୋଲି ଭୁଞ୍ଜାଇ ଆମ୍ଭଙ୍କୁ

ଦୀନବନ୍ଧୁ ହେ !

ଗଲାଟି ଜୀବନ

ଗିରିଧରି ରଖିଅଛ ଏ ଗୋପଭୁବନ ।।୩।।

 

 

 

 

ଘଟଥାପି ନୀପମୂଳେ ଜଗିଥାଅ ବାଟ

ଘୋରକୁଞ୍ଜେ ନେବୁବାଇ କରାଅ ଉଚ୍ଚାଟ

ଦୀନବନ୍ଧୁ ହେ !

ଘର ନ ମଣିଲୁଁ

ଘରବର ଦୁୟତେଜି ତୁମ୍ଭରେ ମଜିଲୁଁ ।।୪।।

 

ନିର୍ମଳ ନୋହିବ ଆଜୁଁ ସୁହାଗୀ କାଳିନ୍ଦୀ

ନାଚିଲ କାଳିଆଶିରେ ପଦ୍ମପାଦ ଛନ୍ଦି

ଦୀନବନ୍ଧୁ ହେ !

ନ ଯାଇ ବିସୋର

ନିକୁଞ୍ଜବନରେ ନେଇ ଯେତେ ପ୍ରୀତିକଲ ।।୫।।

 

ଚରଣଲାଗନ୍ତେ ଭଗ୍ନ ହୋଇଲା ଶକଟ

ଚାର ଏ କଂସଡ଼ଗର କରିଛି ମୁରାଟ

ଦୀନବନ୍ଧୁ ହେ !

ଚାହୁଁଥିବ ତୁମ୍ଭେ

ଚାପିବୁ ଅକ୍ରୂର ମୁଣ୍ଡ ଖୁଆଦଣ୍ଡେ ଆମ୍ଭେ ।।୬।।

 

 

 

 

 

ଛାଇପ୍ରାୟେହୋଇ ସେବିଥାଉଁ ଦିବାରାତି

ଛାଡ଼ିକି ଆମ୍ଭଙ୍କୁ ତୁମ୍ଭେ ଯିବ ଶିରୀପତି

ଦୀନବନ୍ଧୁ ହେ !

ଛାଡ଼ ଏ ବିଚାର

କ୍ଷମାଶୀଳ ପ୍ରଭୁ ହୋଇ କରୁଛ ନିଷ୍ଠୁର ।।୭।।

 

ଜୀବର ଜୀବନ ତୁମ୍ଭେ ଯଦୁକୁଳ ଚାନ୍ଦ

ଜାଣିଲୁଁ ଗୋପିନୀ ନିଚେଁ ଲଗାଇଲ ଫାନ୍ଦ

ଦୀନବନ୍ଧୁ ହେ !

ଯିବ ମଧୁପୁର

ଯୋଇଜାଳି ମରିବୁଟି ତୁମ୍ଭରି ଆଗର ।।୮।।

 

ଝୁରିଣ ମରିବୁ ମୁଖ ନ ଚାହିଁ ଝିମିଣ୍ଟେ

ଝସାଇ କେମନ୍ତେ ତୁମ୍ଭେ ବସିଲନି ରଥେ

ଦୀନବନ୍ଧୁ ହେ !

ଝମଣ୍ଟକେ ରହ

ଝାସିବୁଁ କାଳିନ୍ଦୀ-ଜଳେ ଦେଖିକରି ଯାଅ ।।୯।।

 

 

 

 

ନିକୁଞ୍ଜଭୁବନେ ନେଇ କୁଞ୍ଜଲତା ତଳେ

ନୟନସରୋଜେ ଯାହା ଠାରିଛ ସୁସରେ

ଦୀନବନ୍ଧୁ ହେ !

(ନେଇ) ବସାଇ ଲତାରେ

ନିର୍ମଳଅଧରୁ ଅମିୟଧାର ଝରେ ।।୧୦।।

 

ଟସ୍କରହୋଇ ଅଇଲ ଗୋପଭୁବନକୁ

ଟାଣପଣ କହୁଅଛ ଯିବାର ବେଳକୁ

ଦୀନବନ୍ଧୁ ହେ !

ଟାଣ ଯେ ନକହ

ଟେକିଛୁଁ ସ୍ତନରେ ଦିନେ ସେକଥା ଚିତୁଅ ।।୧୧।।

 

ଠକିଲ ଆମ୍ଭଙ୍କୁ ତୁମ୍ଭେ ଦେଇ ପ୍ରୀତିଭାବ

ଠାବ ଭଲପାଇ ଏବେ ମଧୁପୁର ଯିବ

ଦୀନବନ୍ଧୁ ହେ !

ଠକିଲ ଆମ୍ଭଙ୍କୁ

ଠିକେ ଅରକ୍ଷିତକୃଷ୍ଣ ଭଜଇ ତୁମ୍ଭଙ୍କୁ ।।୧୨।।

 

 

 

 

ଡରୁଥାଉଁ ଆମ୍ଭେ ତୁମ୍ଭେ ଗଲେ ବୃନ୍ଦାବନ

ଡେରିଥାଉଁ ଶ୍ରବଣ ନ ଶୁଣି ବେଣୁସ୍ୱନ

ଦୀନବନ୍ଧୁ ହେ !

ଡକାତ କରୁଛ

ଡାଳରେ ବସାଇ ମୂଳ କତୁରି କାଟୁଛ ।।୧୩।।

 

ଢାଳିଥାଅ ଚୂନଗୋଟି ଚିତା ସଳଖକୁ

ଢାଳି ଚାହିଁବାର ଭାବେ କିଣିଛ ଆମ୍ଭଙ୍କୁ

ଦୀନବନ୍ଧୁ ହେ !

ଢାଳି ଚାହିଁବାର

ଢାଳେଫୁଟି ରହିଅଛି ମରମେ ଆମ୍ଭର ।।୧୪।।

 

ଅଶେଷ ମହିମା ତୁମ୍ଭ ତୁମ୍ଭେ ସିନା ଜାଣ

ଅଣିଲୋହୁ ପୂତନାର ଶୋଷିଲ ପରାଣ

ଦୀନବନ୍ଧୁ ହେ !

ଅତିଶୋକ ନୋହୁ

ଅକ୍ରୂର ଲେଉଟି ପଛେ ଗୋପପୁରୁ ଯାଉ ।।୧୫।।

 

 

 

 

ତ୍ରିଲୋଚନ-ରିପୁ-ଶର ଦହଇ ଆମ୍ଭଙ୍କୁ

ତୁମ୍ଭେ ବିଜେ କରୁଅଛ ମଧୁଭୁବନକୁ

ଦୀନବନ୍ଧୁ ହେ !

ତନୁ ଏ ତୁମ୍ଭର

ତ୍ରାହିକର ତୁମ୍ଭେବାରେ ଯଶୋଦା କୁମର ।।୧୬।।

 

ଥବିର ନୋହିବ ମନ ହେଲେ ହେଁ ଅଦୃଶ

ଥୟେଥିବି ନକରିତ ହଉଛି ବିଶ୍ୱାସ

ଦୀନବନ୍ଧୁ ହେ !

ଥିରନୋହେ ମନ

ଥିରପାଶେ ବାନ୍ଧିନେଲେ ଗୋପୀଙ୍କ ଜୀବନ ।।୧୭।।

 

ଦିନକୁଦିନ ଦୁର୍ଲଭ ତୁମ୍ଭ ଦରଶନ

ଦେହଯାକ କିପାଁ ଆମ୍ଭ ନୋହିଲା ଲୋଚନ

ଦୀନବନ୍ଧୁ ହେ !

ଦେଖନ୍ତୁ ତୁମ୍ଭଙ୍କୁ

ଦେଖୁ ଦେଖୁ ଅଭାବତ କରୁଛ ଆମ୍ଭଙ୍କୁ ।।୧୮।।

 

 

 

 

 

ଧରିଣ ଚିବୁକକରେ ଦେଇଣ ଚୁମ୍ବନ

ଧୀରେଣ କରବୀବାନ୍ଧି କର ଆଲିଙ୍ଗନ

ଦୀନବନ୍ଧୁ ହେ !

ଧରିଅଛୁ ତାହା

ଧ୍ରୁବକରି ବୋଲିଛ ଗୋପୀଙ୍କି ଆମ୍ଭେ ସାହା ।।୧୯।।

 

ନୟନରେ ଦେଖୁଁ ଦେଖୁଁ କର ଭିନ୍ନ ଭିନ୍ନ

ନୁହଇ ବିଅର୍ଥ ନିଶ୍ଚେ ସୁଜନବଚନ

ଦୀନବନ୍ଧୁ ହେ !

ନୀର ଧରିକରେ

ନିୟମ ଯେ କରିଅଛି ଯମୁନାର ତୀରେ ।।୨୦।।

 

ପାରିୟେତେ ନିୟମତ ବିଜୟେ ମଥୁରା

ପିଇବୁ ନୀରସଙ୍ଗତେ ଗୋଳିଣ ମହୁରା

ଦୀନବନ୍ଧୁ ହେ !

ପୀରତି ଏମନ୍ତ

ପୋଡ଼ୁ ଏ ସ୍ତିରୀ ସଂସାରେ କିପାଁହେଲୁ ଜାତ ।।୨୧।।

 

 

 

 

ଫାଇପାଶ ଲଗାଇଣ ହୋଇଲୁ ଫୁରୁଣା

ଫାଟିଯାଉଅଛି ହୃଦ ଦେଖି ଅକରୁଣା

ଦୀନବନ୍ଧୁ ହେ !

ଫମନୋହେ ମନ

ଫେଡ଼ିକରି ନ କହତ ନଯିବା ବଚନ ।।୨୨।।

 

ବିଶ୍ୱମ୍ବର ଦାମୋଦର ବୋଲିଛ ବଚନ

ବିମ୍ବାଧରୀ ଗୋପନାରୀ ଅଟ ମୋ ଜୀବନ

ଦୀନବନ୍ଧୁ ହେ !

ବୋଲ କି ବିଅର୍ଥ

ବୋଇଲେ ଅକ୍ରୂର ଏବେ ବାହିନେଉ ପଥ ।।୨୩।।

 

ଭାବ ପ୍ରୀତିରସେ ତୁମ୍ଭେ ଆମ୍ଭଙ୍କୁ କିଣିଲ

ଭାଇ ବନ୍ଧୁ ଜାତିପତି ସବୁ ଛଡ଼ାଇଲ

ଦୀନବନ୍ଧୁ ହେ !

ଭାବ ପୂରିଅଛି

ଭଜେ କୃଷ୍ଣ ଅରକ୍ଷିତ ନପାରୁଁ ମୂରୁଛି ।।୨୪।।

 

 

 

ମଥୁରାଯାତ୍ରା ଦେଖିବୁ ମାମୁଙ୍କର ଆଗ୍ୟାଂ

ମହାରାଜା କଂସବୋଲ କେକରୁ ଅବଗ୍ୟାଂ

ଗୋପୀମାନେ ଗୋ !

ମନଥିରେ ଥିବ

ମଥୁରାପାଇଁ ଅଇଲେ ଆମ୍ଭଙ୍କୁ ଦେଖିବ ।।୨୫।।

 

ଯୁବତୀରତନ ସେଯେ ମଧୁପୁର ବାଳୀ

ଜୀବପରମକୁ ଘେନି କରୁଥାନ୍ତି କେଳି

ଦୀନବନ୍ଧୁ ହେ !

ଯୋଗରେ ରହିଲେ

ଜଣାଇଲେ ଆମ୍ଭକଥା ନ ଶୁଣିବ ଭଲେ ।।୨୬।।

 

ରସିକ ସେ ରସକୁ ରସନ୍ତି ପ୍ରାଣସଖୀ

ରଖିବକି ବ୍ୟାଧଧରି ଉଡ଼ନ୍ତା ପକ୍ଷୀକି

ଗୋପୀମାନେ ଗୋ !

ରସାଇଛ ମନ

ରାତ୍ରଦିବା ତୁମ୍ଭକଥା ଆମ୍ଭଙ୍କୁ କୀର୍ତ୍ତନ ।।୨୭।।

 

 

 

 

ଲୟ କରିଥିବା ଯାକ ନୟନରେ ଥିବ

ଲୟ ତୁଟିଗଲେ ଭାବ ଅଦୃଶ୍ୟ ହୋଇବ

ଗୋପୀମାନେ ଗୋ !

ଲେଖୁଥିବ ଦିନ

ଲେଉଟିତ ବାରେକ କରିବ ଦରଶନ ।।୨୮।।

 

ବାସଥିଲା ପୁଷ୍ପକୁ ସେ ଭ୍ରମର ଚୁମ୍ବଇ

ବାସନେଲା ପୁଷ୍ପକୁ ଲେଉଟି ନଆସଇ

ଦୀନବନ୍ଧୁ ହେ !

ବୁଝିବ ସେଠାରେ

ବନ୍ଦୀ କରି ରଖିଥିବେ କଟାକ୍ଷଯୁଗରେ ।।୨୯।।

 

ଶଶଲାଞ୍ଛନ ଲାଗିବ ଦେଖି ତୋ ଶ୍ରୀମୁଖ

ସେ ସ୍ତିରୀ ପାଇବେ ପଦ୍ମପାଦ ପ୍ରୀତିସୁଖ

ଦୀନବନ୍ଧୁ ହେ !

ସେ ସୁଖ ଲଭିଲେ

ଶିବକୁ ଗରଳ ପ୍ରାୟେ ଜଡ଼ିଥିବ ଗଳେ ।।୩୦।।

 

 

 

ଶୁଣ ପ୍ରିୟେ ପ୍ରାଣସଖୀ ପ୍ରାଣର ରମଣୀ

ଶତ୍ରୁ ହସ୍ତେ ଗତାଗତ ଯେସନେ ସାରୋଣୀ

ଗୋପୀମାନେ ଗୋ !

ସାକ୍ଷୀ ମାତ୍ର କର

ସେହିମତି ସବୁ କଥା ହୃଦରେ ବିଚାର ।।୩୧।।

 

ଶ୍ରୀୟାପତି ମଥୁରାନାରୀଙ୍କ ପତି ହେଲ

ସ୍ଫୁଟ କରି କହୁଅଛୁଁ ଆମ୍ଭଙ୍କୁ ଛାଡ଼ିଲ

ଦୀନବନ୍ଧୁ ହେ !

ସରିଲା ସମ୍ପତ୍ତି

ସୁଖ ଏଡ଼ି ଚିର କରି ରଖିଲ ବିପତ୍ତି ।।୩୨।।

 

ହରିଣନୟୀ ଗୋପାଙ୍ଗନାମାନେ ଶୁଣ

ହେଲେହେଁ ମଥୁରା ତୁମ୍ଭଠାରେ ଥିବ ପ୍ରାଣ

ଗୋପୀମାନେ ଗୋ !

ହୃଦୟ ଆମ୍ଭର

ହରାଇଲେ ତୁମ୍ଭଠାରୁ ନୋହିଛି ବାହାର ।।୩୩।।

 

 

 

 

କ୍ଷମାଜଳନିଧି ଗୋପୀ କରାଇ ପ୍ରସନ୍ନ

ଛଛନ୍ଦେ ଅକ୍ରୂର ସଙ୍ଗେ ମଥୁରା ଗମନ

ଗୋପୀନାଥ ହେ !

କ୍ଷୋଭ ଛାଡ଼ି ମନ

କ୍ଷୁଦ୍ରମତି କୃଷ୍ଣ ଅରକ୍ଷିତ ପାଦେ ଧାନ ।।୩୪।।

 

ଭାବାର୍ଥ- (୧-୪) ଗୋପପୁରର ସମସ୍ତ ଗୋପୀ ଏକତ୍ର ମିଳି ଭାଳେଣି କରୁଛନ୍ତି । କଂସ ଦୂତ ସଙ୍ଗରେ ବନମାଳୀ ମଥୁରାପୁରକୁ ଚାଲିଗଲେ । ଏବେ ଆମେ କି ବୁଦ୍ଧି କରିବା ? ପ୍ରାଣ ବିସର୍ଜନ କରିବା ଛଡ଼ା ଆମ ପାଖରେ ଆଉ କୌଣସି ବାଟ ନାହିଁ । ଖାଇବା ପଦାର୍ଥ ବିଷପ୍ରାୟ ଲାଗୁଛି । ଘର ଭିତରେ ରହିବାକୁ ଇଛା ଲାଗୁନି । ତାଙ୍କ ସହିତ ହସିଖେଳି ଦିନ କାଟୁଥିଲୁ । ହେ ଦୀନବନ୍ଧୁ, ତୁମରି ବିନା କ୍ଷଣକାଳ ମଧ୍ୟ ବଞ୍ଚିବୁନାହିଁ । ଦୁଷ୍ଟ ଲୋକର ଏ କାମ, ଲାଜରେ ଆମେ ମରିବୁ ।

 

ହେ ଦୀନବନ୍ଧୁ, ଗୋପଭୁବନକୁ ଗୁପ୍ତରେ ଆସିଲ । ଗରଳକୁ ଅମୃତ କହି ଆମକୁ ଖୁଆଇ ଦେଲ । ଏବେ ଆମ ଜୀବନ ଗଲା ବୋଲି ଜାଣ । ଗିରି ଧାରଣ କରି ଏ ଗୋପଭୁବନକୁ ରକ୍ଷା କରିଛ । ଘଟ ସ୍ଥାପି କଦମ୍ବ ମୂଳରେ ବାଟ ଜଗିଥାଅ । କୁଞ୍ଜବନରେ ବେଣୁ ବଜାଇ ଆମ୍ଭମାନଙ୍କୁ ଉଚ୍ଚାଟ କରୁଥିଲ । ହେ ଦୀନବନ୍ଧୁ, ତୁମ ପାଇଁ ଘରକୁ ତୁଚ୍ଛ କରିଦେଲୁ । ଘର ଓ ବର ଦୁଇଟି ଯାକକୁ ପରିତ୍ୟାଗ କରି ତୁମରି ସାଥିରେ ମଜ୍ଜିଲୁ ।

 

ଭାବାର୍ଥ – (୫-୧୦) ହେ ଦୀନବନ୍ଧୁ, ଆଜିଠୁଁ ଆଉ ଯମୁନା ନଈ ନିର୍ମଳ ହେବନାହିଁ । ପଦ୍ମପାଦକୁ ଛନ୍ଦୀ କାଳୀୟ ସର୍ପର ମୁଣ୍ଡ ଉପରେ ନାଚିଲ । ତାକୁ ପାସୋର ନ ଯାଇ ନିକୁଞ୍ଜ ବନରେ ପ୍ରୀତି କଲ । ତୁମ ପାଦ ବାଜି ଶଗଡ଼ ଭାଙ୍ଗିଗଲା । କଂସର ଦୂତ ଛାର ଏ ନାଟ କରିଛି । ହେ ଦୀନବନ୍ଧୁ, ତୁମେ ଚାହୁଁଥିବ, ଆମେ ସେ ଅକ୍ରୂରର ମୁଣ୍ଡକୁ ଖୁଆ ଦଣ୍ଡରେ ବାଡ଼େଇ ଫଟାଇ ଦେବୁ । ହେ କୃପାସାଗର, ଛାୟା ପ୍ରାୟ ହୋଇ ଦିନରାତି ତୁମର ସେବା କରିଛୁ, ତୁମେ ଆମକୁ ଛାଡ଼ି ଚାଲିଯାଉଛ ? ଏ ବିଚାର ଛାଡ଼, ତୁମେ କ୍ଷମାଶୀଳ ପ୍ରଭୁ ହୋଇ ନିଷ୍ଠୁର କାର୍ଯ୍ୟ କରନାହିଁ ।

 

ହେ ଶିରୀପତି, ଜୀବର ଜୀବନ ତୁମ୍ଭେ, ଯଦୁକୁଳର ଚାନ୍ଦ । ଗୋପୀମାନଙ୍କୁ ନିଶ୍ଚୟ ଫାନ୍ଦ (କପଟ)ରେ ପକାଇଛ । ଆମେ ସତକଥା କହୁଛୁ, ବିନତି କରିବା ସଙ୍ଗେ ମଧୁପୁର ଯଦି ଯିବ, ଜୁଇ ଜାଳି ଆମେ ତୁମରି ଆଗରେ ମରିଯିବୁ । ତୁମ ମୁଖକୁ ନ ଦେଖିଲେ ଦୁଃଖରେ ଝୁରି ମରିବୁ-। ଆମର ଏ ସବୁ ଦୁଃଖ କଥା ଶୁଣୁଛ, କେମିତି ରଥରେ ଯାଇ ଆନନ୍ଦରେ ବସି ପଡୁଛ ? ହେ ଦୀନବନ୍ଧୁ, କିଛି ସମୟ ରହିଯାଅ, ଆମେ ନିଜକୁ କାଳିନ୍ଦୀ ଜଳରେ ଝାସ ଦେବୁ, ଦେଖିବ । ନିକୁଞ୍ଜ ବନକୁ ନେଇ କୁଞ୍ଜଲତା ତଳେ ପଦ୍ମନେତ୍ରରେ ଯେମିତି ଠାରିଛ, ଲତାରେ ନେଇ ବସାଇଛି, ଆମେ ସେ ସବୁ ପାସୋରିଯାଇ ନାହୁଁ । ତୁମର ନିର୍ମଳ ଅଧରରୁ ଅମୃତ ଧାର ଝରିଛି, ଆମେ ତାକୁ ପାନ କରି ନିଜ ଜୀବନକୁ କୃତାର୍ଥ କରିଛୁ ।

 

ଭାବାର୍ଥ - (୧୧-୧୬) ହେ ନଟନାଗର, ଟସ୍କର ହେଇ ଗୋପପୁରକୁ ଆସିଲ । ଏଠାରୁ ଗଲାବେଳକୁ ଟାଣପଣ ଦେଖାଉଛ ? ଟାଣ କଥା କୁହ ନାହିଁ, ଆମେ ଆମ ବକ୍ଷୋଜ ଉପରେ ଦିନେ ତୁମକୁ ଟେକିଛୁ, ସେ କଥାକୁ ମନରେ ଟିକିଏ ଚେତ । ପ୍ରୀତିଭାବ ଦେଇ ଆମକୁ ତୁମେ ଠକିଲ, ଭଲ ପାଇ ଭୁଲି ଯାଉଛ, ଏବେ ମଧୁପୁର ଯିବ । ସଦାବେଳେ ଅରକ୍ଷିତ କୃଷ୍ଣ ତୁମ୍ଭଙ୍କୁ ପ୍ରାର୍ଥନା କରୁଛି । ତୁମେ ବୃନ୍ଦାବନ ଗଲେ ଆମେ ଡରୁଥାଉଁ । ବେଣୁ ସ୍ୱନ ନ ଶୁଣିଲେ ଶ୍ରବଣ ପାତିଥାଉଁ । ହେ ଦୀନବନ୍ଧୁ, କିଛି ଭଲ କରୁନାହଁ । ଆମକୁ ଡାଳରେ ବସାଇ ମୂଳକୁ କତୁରିରେ କାଟି ଦେଉଛ । ଚିତାତିଳକ କାଟି ଶୋଭାମୟ ଦେଖାଯାଉଛ । ଢାଳି ଚାହିଁବାର ଭାବରେ ଆମ୍ଭମାନଙ୍କ ହୃଦୟକୁ କିଣି ନେଇଛ । ତାହା ଆମ ମରମରେ ଫୁଟି ରହିଛି ।

 

ହେ ବନବାସି, ଦୀନବନ୍ଧୁ, ତୁମର ଅଶେଷ ମହିମା ତୁମେ କେବଳ ଜାଣ । ପୂତନାର ପ୍ରାଣ ନାଶିଲ । ଆମର ଦୁଃଖକୁ ଦୂର କର । ଅକ୍ରୂର ଲେଉଟି ଗୋପପୁରରୁ ଫେରିଯାଉ । ଦୀନବନ୍ଧୁ ହେ, କନ୍ଦର୍ପର ଫୁଲଶର ଆମ୍ଭକୁ ଦହୁଛି । ଏଣେ ତୁମେ ମଧୁପୁରକୁ ଚାଲିଯାଉଛ । ଏ ଶରୀର ତୁମର । ହେ ଯଶୋଦାନନ୍ଦନ, ଆମକୁ ଏଥିରୁ ଉଦ୍ଧାର କର ।

 

ଭାବାର୍ଥ - (୧୭-୨୩) ହେ ନନ୍ଦସୁତ, ତୁମେ ମଧୁପୁରକୁ ଚାଲିଯାଇ ଆମଠାର ଅଦୃଶ୍ୟ ହୋଇଗଲେ ମଧ୍ୟ ଆମର ମନ ଥବିର ହେବ ନାହିଁ । ସର୍ବଦା ତୁମ ପାଖରେ ହିଁ ରହିଥିବ । ଥୟରେ ରହିବୁ ନାହିଁ ବୋଲି ମଧ୍ୟ ମନରେ ବିଶ୍ୱାସ ହେଉନାହିଁ । ମନ ଅଥୟ ହେଉଛି । ସଙ୍ଗରେ ଗୋପୀଙ୍କ ଜୀବନ ବାନ୍ଧି ନେଉଛ । ହେ ଦୀନବନ୍ଧୁ, ଦିନକୁ ଦିନ ତୁମର ଦର୍ଶନ ଆମ ପାଇଁ ଦୁର୍ଲଭ ହେଉଛି । ଦୁଇ ଆଖିରେ ଦେଖିବାରେ ମନ ପୂରୁନି । ଆମ ଦେହଟାଯାକ ଆଖିରେ ପୂର୍ଣ୍ଣ ହୋଇଯାନ୍ତା କି ? ତୁମକୁ ମନ ପୂରାଇ ଦେଖନ୍ତୁ । ଆମ ଭାଗ୍ୟ ଖରାପ । ଦେଖୁ ଦେଖୁ ତ ଆମକୁ ନିରାଶ କରୁଛ । ହେ ଦୀନବନ୍ଧୁ, ତୁମେ ସବୁଦିନେ କୁହ ଯେ, ଗୋପୀମାନଙ୍କୁ ମୁଁ ସାହା ହୋଇଛି । ଏହାକୁ ଆମେ ମନ ମଧ୍ୟରେ ଧ୍ରୁବ କରିଛୁ । ଏବେ ସେମାନଙ୍କର ଚିବୁକକୁ ହାତରେ ଧରି ଗାଲରେ ଚୁମ୍ବନ ଦିଅ । ଧୀର ଭାବରେ କବରୀ ବାନ୍ଧି ଆଲିଙ୍ଗନ କର । ହେ ଦୀନବନ୍ଧୁ, ଚକ୍ଷୁରେ ଦେଖୁ ଦେଖୁ ତୁମେ ଆମକୁ ଭିନ୍ନ ଭିନ୍ନ କରୁଛ । ମହାପୁରୁଷମାନେ କହିବା କଥା କେବେ ବ୍ୟର୍ଥ ହୁଏ ନାହିଁ । ଯମୁନାର ତଟରେ ହାତରେ ଜଳଧରି ନିୟମ କରିଛୁ, ତୁମକୁ ପାସୋରିବୁ ନାହିଁ ।

 

ହେ ବନମାଳି, ଆଜି ଯଦି ତୁମେ ମଥୁରା ଚାଲିଯିବ, ତେବେ ଆମେ ପାଣିରେ ମହୁରା ଗୋଳାଇ ପିଇଦେବୁ । ହେ ଦୀନବନ୍ଧୁ, ପ୍ରୀତି ଏପରି । ପୋଡ଼ିଯାଉ ଏ ଜୀବନ, ବିଧାତା ଆମକୁ କାହିଁକି ସ୍ତ୍ରୀ ଜନ୍ମ ଦେଲା ? ତୁମର ଅକରୁଣା ଭାବ ଦେଖି ଆମ ହୃଦୟ ଫାଟି ଯାଉଛି । ମନ ସ୍ଥିର ରହୁନାହିଁ । ମଧୁପୁର ଯିବା କଥା ଆଉ ତୁଣ୍ଡରେ ଧରନାହିଁ । ହେ ବିଶ୍ୱମ୍ବର, ଦାମୋଦର, ତୁମେ ଦିନେ କହିଥିଲ- “ଗୋପନାରୀମାନେ ମୋ ଜୀବନ ଅଟନ୍ତି ।” ଏହାକୁ ପାସୋରି ଦେଲ କି ? ଏହା ପରେ କୃଷ୍ଣ ଅକ୍ରୂରଙ୍କୁ ରଥ ବାହିବାକୁ ଆଦେଶ ଦେଲେ ।

 

ଭାବାର୍ଥ (୨୪-୨୮) ଗୋପୀମାନେ କହିଲେ- ଦୀନବନ୍ଧୁ ହେ, ଭାବ ପ୍ରୀତିରସରେ ତମେ ଆମ ମନକୁ କିଣିଲ । ଭାଇ, ବନ୍ଧୁ, ଜାତିପତିଙ୍କୁ ଆମଠାରୁ ଛଡ଼ାଇ ନେଲ । ଆମ ମନ ଭାବରେ ପୂରି ରହିଛି । କବି କୃଷ୍ଣ କହୁଛନ୍ତି, ହେ ପ୍ରଭୁ ମୁଁ ତୁମକୁ ମୂରୁଛି ପାରୁନାହିଁ । ମଥୁରା ଯାତ୍ରା ଦେଖିବୁ, ଇଏ ମାମୁଙ୍କର ଆଜ୍ଞା, ମହାରାଜା କଂସଙ୍କର ଆଜ୍ଞାକୁ କିଏ ବା ଅବଜ୍ଞା କରିବ ? ହେ ଗୋପୀଗଣ, ମନକୁ ସ୍ଥିର କରିରହିବ । ମଥୁରାକୁ ଗଲେ ମୋତେ ଦେଖିବ । ଯୁବତୀରତ୍ନ ସିଏ ମଧୁପୁରର ସଖୀ ! ଜୀବପରମକୁ ନେଇ କେଳି କରୁଛନ୍ତି । ହେ ଦୀନବନ୍ଧୁ, ଯୋଗରେ ରହିଲେ, ଆମ କଥା ଭଲରେ ଶୁଣିବ ନାହିଁ ।

 

କୃଷ୍ଣ କହିଲେ- ରସିକ ନାଗର ପ୍ରାଣସଖୀକୁ ରସନ୍ତି । ଉଡ଼ନ୍ତା ପକ୍ଷୀକୁ ବ୍ୟାଧ କ’ଣ ଧରି ରଖିପାରିବ କି ? ହେ ଗୋପୀଗଣ, ମୋ ମନକୁ ରସାଇଛ । ତୁମେ ସବୁ ଯାହା କହିଛ, ସେ ସବୁ ମୋ ପାଇଁ କୀର୍ତ୍ତନ ସଦୃଶ । ତୁମ୍ଭମାନଙ୍କୁ ମନରେ ଝୁରୁଥିବି । ଏ କଥାକୁ ମନେ ରଖ, ମୋତେ ଲୟ କରିଥିବା ଯାକ ମୋ ଚକ୍ଷୁରେ ତୁମ୍ଭେମାନେ ବାସ କରିଥିବ । ଲୟ ଯଦି ତୁଟିଯିବ, ମୋର ଭାବ ତୁମ୍ଭମାନଙ୍କ ଚକ୍ଷୁରୁ ଅନ୍ତର୍ହିତ ହୋଇଯିବ । ହେ ଗୋପୀମାନେ ଦିନ ଗଣୁଥିବ, ଖୁବ୍ ଶୀଘ୍ର ଫେରିବି, ମୋତେ ଦର୍ଶନ କରିବ ।

 

ଭାବାର୍ଥ - (୨୯-୩୪) କୃଷ୍ଣଙ୍କ କଥା ଶୁଣି ଗୋପୀମାନେ କହିଲେ- ଦୀନବନ୍ଧୁ । ହେ, ସୁବାସିତ ପୁଷ୍ପକୁ ଭ୍ରମର ଚୁମିଥାଏ । ଫୁଲରୁ ବାସ ଚାଲିଗଲା ପରେ ଭ୍ରମର ଆଉ ଫୁଲ ପାଖକୁ ଆସି ନ ଥାଏ । ସେମିତି ସେଠାରେ ତୁମକୁ ନାରୀମାନେ କଟାକ୍ଷ ଯୁଗଳରେ ବାନ୍ଧି ରଖିବେ । ଆମେ କହିବା କଥା ସତ ନା ମିଛ, ସେଠାରେ ବୁଝିବ । ତୁମ ଶ୍ରୀମୁଖ ଦେଖି ଶଶିଲାଞ୍ଚନ (ଚନ୍ଦ୍ର) ଲାଗିବ । ସେଠାକାର ସ୍ତ୍ରୀମାନେ ତୁମର ପଦ୍ମପାଦ ଓ ପ୍ରୀତିସୁଖ ପାଇବେ । ସେହି ସୁଖ ପାଇଲେ ଶିବଙ୍କ ଗଳାରେ ବିଷ ଜଡ଼ିଲା ଭଳି ଜଡ଼ିଯିବ ।

 

ଗୋପୀମାନଙ୍କ ଠାରୁ ଏହା ଶୁଣି କୃଷ୍ଣ କହିଲେ- ହେ ପ୍ରିୟେ ପ୍ରାଣସଖି, ପ୍ରାଣର ରମଣୀ ଶୁଣ । ଶତ୍ରୁ ହାତରେ ସର୍ବଦା ସାରୋଣୀ ଯେମିତି ଗତାଗତ ହୋଇଥାଏ, ସେମିତି ହେ ଗୋପୀମାନେ, ଏହି କଥାକୁ ମନେରଖି ସବୁ କଥାକୁ ହୃଦୟ ମଧ୍ୟରେ ବିଚାର କର ।

 

କୃଷ୍ଣଙ୍କଠାରୁ ଏପରି ଶୁଣି ଗୋପୀମାନେ କହିଲେ- ହେ ଦୀନବନ୍ଧୁ, ଶ୍ରୀୟାପତି, । ମଥୁରା ନାରୀଙ୍କ ପତି ହେଲ । ଆମ୍ଭମାନଙ୍କୁ ପରିତ୍ୟାଗ କଲ । ଆମର ସମ୍ପତ୍ତି ସରିଗଲା । ସୁଖକୁ ନେଇ ବିପତ୍ତି ଆମ ପାଖରେ ରଖିଦେଲ । କୃଷ୍ଣ କହିଲେ- ହେ ହରିଣନୟନୀ ଗୋପାଙ୍ଗନାମାନେ, ଶୁଣ । ମଥୁରାରେ ରହିଲେ ହଁ ତୁମ୍ଭମାନଙ୍କ ପାଖରେ ମୋର ପ୍ରାଣ ସର୍ବଦା ରହିଥିବ । ଆମ୍ଭର ହୃଦୟ ହରାଇଲେ ବି ତୁମଠାରୁ ‘ବାହାର ହେବ ନାହିଁ । ଗୋପୀମାନଙ୍କୁ ଏପରି ଆଶ୍ୱାସନା ବାଣୀ ଶୁଣାଇ କୃଷ୍ଣ ପ୍ରସନ୍ନ କରାଇଲେ । ତା’ ପରେ ସ୍ୱଚ୍ଛନ୍ଦରେ ଅକ୍ରୂରଙ୍କ ସଙ୍ଗେ ମଥୁରା ଅଭିମୁଖେ ଗମନ କଲେ-। କବି କୃଷ୍ଣ ଅରକ୍ଷିତ କହୁଛନ୍ତି- ହେ ଗୋପୀନାଥ, ତୁମରି ପାଦତଳେ କ୍ଷୁଦ୍ରମତି କୃଷ୍ଣ ଅରକ୍ଷିତ ଧ୍ୟାନ କରୁଛି ।